କଳିଙ୍ଗ ବାଲିଯାତ୍ରା ୨୦୨୪ ଉଦଯାପିତ
କଳିଙ୍ଗ ବାଲିଯାତ୍ରା କେବଳ ଏକ ମହୋତ୍ସବ ନୁହେଁ ବରଂ ଓଡ଼ିଶା ର ନୌ ବାଣିଜ୍ୟ ର ଇତିହାସ କୁ ଦର୍ଶାଉଛି - ରାଜ୍ୟପାଳ
ପାରାଦୀପ ତା ୨୧.୧୧.୨୦୨୪ରିଖ
ଆଜି ସନ୍ଧ୍ୟାରେ ଜିଲ୍ଲା ର ପାରାଦୀପ ସ୍ଥିତ ବାଲିଯାତ୍ରା ପଡ଼ିଆଠାରେ ଗତ ୧୪.୧୧.୨୦୨୪ରିଖ ଠାରୁ ଆରମ୍ଭ ହୋଇଥିବା କଳିଙ୍ଗ ବାଲିଯାତ୍ରା ୨୦୨୪ର ଉଦଯାପନୀ ସମାରୋହ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ରଘୁବର ଦାସ, ମହାମହିମ ରାଜ୍ୟପାଳ, ଓଡ଼ିଶା ସରକାର ପ୍ରାଚୀନ ନୌ ବାଣିଜ୍ୟର ଐତିହ୍ୟ ଓ ପରମ୍ପରାର ସ୍ମୃତି ଚାରଣ ନିମନ୍ତେ ଜଗତସିଂହପୁର ଜିଲ୍ଲାର ଏହି ପ୍ରୟାସ କୁ ଅନେକ ପ୍ରଶଂସା କରିଥିଲେ। କଳିଙ୍ଗ ବାଲିଯାତ୍ରା ର ସମାପନ ଉତ୍ସବ ରେ ସାମିଲ ହୋଇ ଅତ୍ୟନ୍ତ ଗର୍ବ ଓ ଖୁସୀ ଅନୁଭବ କରୁଛନ୍ତି ବୋଲି କହିଥିଲେ।ଉତ୍କଳର ନୌ ବାଣିଜ୍ୟ ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି। ଏହା କେବଳ ଏକ ମହୋତ୍ସବ ନୁହେଁ ବରଂ ଓଡ଼ିଶା ର ନୌ ବାଣିଜ୍ୟ ର ଇତିହାସ କୁ ଦର୍ଶାଉଛି।ଏଥିପାଇଁ ଦିନେ ବଙ୍ଗୋପସାଗର କୁ କଳିଙ୍ଗ ସାଗର ଭାବେ ଅଭିହିତ କରାଯାଉଥିଲା। ଏହି ମହାନ ପରମ୍ପରାର ପୁନରୁଦ୍ଧାର ପାଈଁ ଜଗତସିଂହପୁର ବାସି ସର୍ବଦା ତତ୍ପର ଓ ଆଜି କଳିଙ୍ଗ ବାଲିଯାତ୍ରା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସେଥିପାଇଁ ପାରାଦୀପ ଆଜି ଉନ୍ନତି ର ମୁଖଶାଳା ପାଲଟିଛି ବୋଲି ସେ କହିଥିଲେ। ଓଡ଼ିଶା ର ନୌବାଣିଜ୍ୟ କେବଳ ବ୍ୟାପାର ବାଣିଜ୍ୟ ନୁହେଁ ବରଂ ଶାନ୍ତି, କଳା ଓ ଆଧ୍ୟାତ୍ମିକତା ର ଅମୂଲ୍ୟ ମୂଲ୍ୟବୋଧ କୁ ଦର୍ଶାଉଛି। ଏହି ବାଲିଯାତ୍ରାରେ ପ୍ରଦର୍ଶିତ ସାମଗ୍ରୀ ଓଡ଼ିଶା ର ଗହନ ଶିଳ୍ପ ଚତୁରୀ କୁ ପ୍ରମାଣିତ କରୁଛି। ଦେଶର ଅର୍ଥ ବ୍ୟବସ୍ଥା, ପାରସ୍ପରିକ ଆଦାନ ପ୍ରଦାନ, ସାଂସ୍କୃତିକ ପରମ୍ପରା କୁ ବିଶ୍ଵ ଦରବାର ରେ ପ୍ରତିଷ୍ଠିତ କରାଉଛି। ଓଡ଼ିଶା ତଥା ଜିଲ୍ଲା ର ଏହି ମହାନ୍ ପରମ୍ପରା ଆମକୁ ଏକ ଉଜ୍ଜ୍ବଳ ଭବିଷ୍ୟତ ଆଡ଼କୁ ଅଗ୍ରସର ହେବାର ସ୍ବପ୍ନ ଦେଇଛି। ଏପରି ସୁନ୍ଦର ପ୍ରୟାସ ପାଇଁ ମାନ୍ୟବର ରାଜ୍ୟପାଳ, ଜିଲ୍ଲାପାଳ, ଆୟୋଜକ କଲିଙ୍ଗ ବାଲିଯାତ୍ରା କମିଟି ତଥା ଜିଲ୍ଲାବାସୀ ଙ୍କୁ ଧନ୍ୟବାଦ୍ ଜଣାଇଥିଲେ।ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା, ମାନ୍ୟବର ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ଏଵଂ ଇସ୍ପାତ- ଖଣିଜ ସଂପଦ, ଓଡ଼ିଶା କହିଲେ ଯେ, ଜଗତସିଂହପୁର ମାଟି ସବୁବେଳେ ଐତିହ୍ୟ ର ଗୁଣଗାନ କରିଥାଏ।ପାରାଦୀପ ରେ ଅନୁଷ୍ଠିତ ହେଉଥିବା କଳିଙ୍ଗ ବାଲିଯାତ୍ରା ଆମର ପୂର୍ବ ସାଧବ ପୁଅ ମାନଙ୍କ ର ମହାନ କୀର୍ତ୍ତିରାଜି କୁ ମନେ ପକାଇବା ସହ ଅର୍ଥନୈତିକ ଅଭିବୃଦ୍ଧି ର ସୋପାନ ବୋଲି ଶ୍ରୀ ଜେନା କହିଥିଲେ। ସ୍ଥାନୀୟ ଲୋକ ମାନଙ୍କ ଆମୋଦ ପ୍ରମୋଦ କୁ ଦୃଷ୍ଟି ରେ ରଖି ଆଗାମୀ ଦିନରେ କଳିଙ୍ଗ ବାଲିଯାତ୍ରାକୁ ଆଉ ଅଧିକ ଦିନ କରିବା ପାଇଁ ସେ ଜିଲ୍ଲାପାଳ ତଥା ପାରାଦ୍ଵୀପ ପୋର୍ଟ କର୍ତ୍ତୃପକ୍ଷ ଙ୍କୁ ଅନୁରୋଧ କରିଥିଲେ। ମାନ୍ୟବର ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ ପାରାଦୀପ ସମେତ ସମସ୍ତ ଜିଲ୍ଲାବାସୀ ଙ୍କୁ ଆଗାମୀ ବର୍ଷ ଆହୁରି ସଫଳତା ର ସହ କଳିଙ୍ଗ ବାଲିଯାତ୍ରାକୁ ସ୍ବାଗତ କରିବା ପାଇଁ କହିଥିଲେ। ପେଟ୍ରୋ କେମିକାଲ ଇଣ୍ଡଷ୍ଟ୍ରି, ନିଯୁକ୍ତି ସୁଯୋଗ, ବିକଶିତ ପାରାଦ୍ଵୀପ, ଉତ୍କୃଷ୍ଟ ମାନବ ସମ୍ବଳ ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସଭାରେ ଯୋଗଦେଇ ଜଗତସିଂହପୁର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ଜିଲ୍ଲା ର ସର୍ବାଙ୍ଗୀନ ଉନ୍ନତି କରିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଥିଲେ।ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ କଳିଙ୍ଗ ବାଲିଯାତ୍ରା ଏକ ସୁନ୍ଦର ପରମ୍ପରା ଯାହା ଇତିହାସର ମୂକ ସାକ୍ଷୀ ଓ କଳିଙ୍ଗ ବାଲିଯାତ୍ରା ବର୍ତ୍ତମାନ ରାଜ୍ୟରେ ଦ୍ଵିତୀୟ ସର୍ବ ବୃହତ୍ ବାଣିଜ୍ୟ ସ୍ଥଳ ହୋଇପାରିଛି।ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଲେ ଏ ବର୍ଷ ଖୋଲାଯାଇଥିବା ୧୦୦୦ ରୁ ଉର୍ଦ୍ଧ୍ବ ଷ୍ଟଲ୍ ରେ ଯଥେଷ୍ଟ କିଣାବିକା ହୋଇଛି ଯାହା ପ୍ରତ୍ୟକ୍ଷ ବା ପରୋକ୍ଷ ରେ ଜିଲ୍ଳାର ଅର୍ଥନୀତି କୁ ସୁଦୃଢ଼ କରିବା ସହ ଅନେକ ଙ୍କୁ ଆତ୍ମ ନିର୍ଭର କରିପାରିଛି। ରାଜ୍ୟ ତଥା ରାଜ୍ୟ ବାହାରୁ, ଯେପରି ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ, ଗୁଜୁରାଟ ପରି ୪ ଟି ରାଜ୍ୟ ରୁ ଆସିଥିବା ୧୫୦ ସ୍ଵୟଂ ସହାୟକ ଗୋଷ୍ଠୀ ର ହସ୍ତ ଶିଳ୍ପ, ହସ୍ତ ତନ୍ତ, ଢୋକ୍ତା ଗୁଡ଼ିକ ଆଦୃତ ହୋଇଛି।ଓରମାସ ପଲ୍ଲୀଶ୍ରୀ ମେଳାରେ ଗତ ବର୍ଷ ୧ କୋଟି୫୧ ଲକ୍ଷ ବ୍ୟବସାୟ ହୋଇଥିବା ବେଳେ ଏ ବର୍ଷ ଏହା ୧ କୋଟି ୭୦ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ବ୍ୟବସାୟ କରିଛି ଯାହା ନିଶ୍ଚିତ ଭାବେ ଏକ ଖୁସିର କଥା ବୋଲି ଜିଲ୍ଲାପାଳ କହିଥିଲେ । ଜି ଏମ ଡି ଆଇ ସି ତରଫରୁ ହୋଇଥିବା ୧୨ ଟି ଷ୍ଟଲ୍ ଓ ଜଗତସିଂହପୁର ଜିଲ୍ଲାର ହସ୍ତ ତନ୍ତ, ହସ୍ତଶିଳ୍ପ ର ୩୦ ଟି ଷ୍ଟଲ୍ ରେ ଜିଲ୍ଲାର ଅନେକ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନିଜର ସ୍ୱାବଲମ୍ୱନ ର ପନ୍ଥା ଖୋଜି ପାଇଛନ୍ତି ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାପାଳ ଚଳିତ ବର୍ଷର ବାଲିଯାତ୍ରା ର ସୁପରିଚାଳନା ପାଇଁ ପୋଲିସ ପ୍ରଶାସନ, ପାରାଦ୍ଵୀପ ପୌର ପରିଷଦ,ବାଲିଯାତ୍ରା ଆୟୋଜକ କମିଟି ତଥା ସମସ୍ତ ଜନସାଧାରଣ ଏଵଂ ଗଣମାଧ୍ୟମ ପ୍ରତିନିଧି ଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଉଦଯାପନୀ ସମାରୋହରେ ପାରାଦୀପ ପୌର ପରିଷଦ ର ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ଵାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଉଦ୍ଗାତା ମଧ୍ଯ କଳିଙ୍ଗ ବାଲିଯାତ୍ରାର ସଫଳ ଆୟୋଜନ ଏଵଂ ଶାନ୍ତି ଶୃଙ୍ଖଳାର ପରିଚାଳନା ପାଇଁ ସମସ୍ତଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଜଣାଇଥିଲେ।ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ପାରାଦ୍ଵୀପ ବନ୍ଦର ଉପାଧ୍ୟକ୍ଷ ଶ୍ରୀ ନୀଲାଭ୍ର ଦାସଗୁପ୍ତା ମଧ୍ୟ ପାରାଦ୍ଵୀପ ବାଲିଯାତ୍ରା ର ଗାରିମା ଉପସ୍ଥାପନ କରିଥିଲେ।ସଭାରେ ଅନ୍ୟମାନଙ୍କ ମଧ୍ୟରେ ସହରର ବୁଦ୍ଧିଜୀବୀ, ବିଭିନ୍ନ ରାଜ୍ୟ ତଥା ଜିଲ୍ଲାରୁ ଆସିଥିବା ବ୍ୟବସାୟୀ ଓ ଗଣମାଧ୍ୟମ ପ୍ରତନିଧି ମାନେ ଉପସ୍ଥିତ ଥିଲେ। ଏହି ଶେଷ ସନ୍ଧ୍ୟାରେ ଶ୍ରେଷ୍ଠ ସ୍ଵୟଂ ସହାୟକ ଗୋଷ୍ଠୀ ମାନଂକୁ ପୁରସ୍କୃତ କରାଯାଇଥିଲା। ତନ୍ମଧରୁ ଅଧିକ ବିକ୍ରୟ ପାଇଁ ଲକ୍ଷ୍ମୀ ନାରାୟଣ ପି ଜି (ଟସର), ଯାଜପୁର,ଶ୍ରେଷ୍ଠ ପ୍ରଦର୍ଶନ ପାଇଁ କୁଜଙ୍ଗ , ର ଜୀବନ ଜ୍ୟୋତି ଟେରାକୋଟା,ଶ୍ରେଷ୍ଠ ସେଲ୍ସ ମ୍ୟାନସିପ ପାଇଁ ନୟାଗଡ଼ର ବୁଢୀମା ସ୍ବୟଂ ସହାୟକ ଗୋଷ୍ଠୀ ଶ୍ରେଷ୍ଠ ସୃଜନଶୀଳ ଷ୍ଟଲପାଇଁ ମହିମା ସ୍ବୟଂ ସହାୟକ ଗୋଷ୍ଠୀ(ଧାନ ତିଆରି କାରୁକାର୍ଯ୍ୟ) ଏବଂ ଶ୍ରେଷ୍ଠ ପ୍ୟାକେଜ ଓ ବ୍ରାଣ୍ଡିଂ ପାଇଁ କୋରାପୁଟ ଆଗ୍ରୋ ପ୍ରଡକ୍ଟ ପ୍ରଡ୍ୟୁସର କମ୍ପାନୀଙ୍କୁ ପୁରସ୍କାର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉଦଯାପନୀ ସନ୍ଧ୍ୟାରେ ରେ ସ୍ଵନାମଧନ୍ୟ ବଲିଉଡ୍ ଗାୟକ ପଦ୍ମଶ୍ରୀ ସୋନୁ ନିଗମ ଙ୍କ କଣ୍ଠ ର ଯାଦୁ ରେ ଦର୍ଶକ ଝୁମି ଉଠିଥିଲେ।ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ସାଙ୍ଗକୁ ଘରକରଣା ଜିନିଷ ସହ ଟେରାକୋଟା ସାମଗ୍ରୀ, ଓଡ଼ିଶା ର ପାରମ୍ପରିକ ଖାଦ୍ୟ ସାଙ୍ଗକୁ ବାହାର ରାଜ୍ୟର ଖାଦ୍ୟ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥିଲା। ପିଲା ମାନଙ୍କ ପାଇଁ ଆୟୋଜିତ ମୀନା ବଜାର, ବିଭିନ୍ନ ପ୍ରକାରର ଦୋଳି ଲୋକ ମାନଙ୍କ ମନୋରଞ୍ଜନ କରିଥିଲା।