ସିମଲିପାଲରୁ ପଳାୟନ କରିଥିବା ବାଘୁଣୀ ଝାରଖଣ୍ଡ ରାଜବାସା ଜଙ୍ଗଲରେ, ସତର୍କ ରହିବାକୁ ଚେତାବନୀ By KNews Bureau On Dec 9, 2024
ବାଙ୍ଗିରିପୋଷି : ସିମଲିପାଲରୁ ଆସିଥିବା ବାଘୁଣୀ ଝାରଖଣ୍ଡ ରାଜ୍ୟ ଚାକୁଲିଆର ରାଜବାସା ଜଙ୍ଗଲରେ | ଜଙ୍ଗଲ ବିଭାଗ,ସ୍ଥାନୀୟ ପ୍ରଶାସନ ଓ ନେତା ଗ୍ରାମବାସୀଙ୍କୁ ନିର୍ଦ୍ଦିଷ୍ଟ ଅଞ୍ଚଳଠାରୁ ଦୂରରେ ରହିବାକୁ ଚେତାବନୀ ଦେଇଛନ୍ତି ।
ଓଡିଶାର ସିମଲିପାଲ ଜଙ୍ଗଲରୁ ପଳାୟନ କରିଥିବା ବାଘୁଣୀ ସୋମବାର ଝାରଖଣ୍ଡ ରାଜ୍ୟ ଚକୁଲିଆ ଜଙ୍ଗଲ ପାଖ କାଲିଆମ ପଞ୍ଚାୟତ ରାଜବାସା ଗ୍ରାମ ଜଙ୍ଗଲ ଅଞ୍ଚଳରେ ପହଞ୍ଚିଥିବା ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ।
ଉକ୍ତ ବାଘୁଣୀ ବାରମ୍ବାର ତାର ସ୍ଥାନ ବଦଳାଉ ଥିବା ବେଳେ ଚକୁଲିଆ ଜଙ୍ଗଲ ଅଧିକାରୀ ତଥା ଓଡିଶାର ବନ କର୍ମଚାରୀ ପକ୍ଷରୁ ସେଟଲାଇଟ ମାଧ୍ୟମରେ ତୀକ୍ଷ୍ଣ ନଜର ରଖାଯାଉଛି । ତେବେ ଅପରାହ୍ନ ୪ଟାରୁ କୌଣସି କାରଣ ବଶତଃ ଟ୍ରାକ କରାଯାଇ ପାରିନାହିଁ । ଚକୁଳିଆ ବନ କର୍ମଚାରୀ ଓ ଓଡିଶାର ୧୦ଜଣ ଟ୍ରାକିଙ୍ଗ ଟିମ ବାଘୁଣୀକୁ ଖୋଜୁଥିବା ବେଳେ ସନ୍ଧ୍ୟା ୫ଟା ସମୟରେ ଝାରଖଣ୍ଡ ରାଜ୍ୟ ଗୋଦରାଶୋଳର ଶାଳ ଜଙ୍ଗଲରେ ବାଘୁଣୀର ପାଦ ଚି଼ହ୍ନ ଦେଖିବାକୁ ପାଇଥିଲେ ।