ମାତ୍ର ୩୬ ସେକେଣ୍ଡରେ ଓଡ଼ିଶୀ ନୃତ୍ୟର ୫୧ଟି ମୁଦ୍ରାକୁ ପ୍ରଦର୍ଶିତ କରି ରୀତିକା ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ।

ମାତ୍ର ୩୬ ସେକେଣ୍ଡରେ ଓଡ଼ିଶୀ ନୃତ୍ୟର ୫୧ଟି ମୁଦ୍ରାକୁ ପ୍ରଦର୍ଶିତ କରି ରୀତିକା ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ।

ପୁରୀ : ବୟସ ମାତ୍ର ୬ ବର୍ଷ । ଯେଉଁ ବୟସରେ ପିଲାମାନେ ଖେଳକୁଦରେ ମନ ବଳାଇଥାଆନ୍ତି । ସେହି ବୟସରେ କୁନି ପ୍ରତିଭାର ଅଧିକାରୀ ହୋଇପାରିଛନ୍ତି ରିତିକା । ତାଙ୍କ ନାଁ ଯେମିତି କାମ ମଧ୍ୟ ସେମିତି । ଖାଲି ପରିବାର ପାଇଁ ଖୁସି ଆଣି ନାହାଁନ୍ତି ବରଂ ପୁରୀ ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ । ପ୍ରଥମେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଆଉ ଏବେ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ପୁରୀର କୁନି ଝିଅ ରୀତିକା ପ୍ରିୟଦର୍ଶିନୀ । ମାତ୍ର ୩୬ ସେକେଣ୍ଡରେ ଓଡ଼ିଶୀ ନୃତ୍ୟର ୫୧ଟି ମୁଦ୍ରାକୁ ପ୍ରଦର୍ଶିତ କରି ରୀତିକା ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ।

ଗୋଟିଏ ମିନିଟ୍ ଭିତରେ ୫୧ ଟି ଓଡ଼ିଶୀ ନୃତ୍ୟ ମୁଦ୍ରା ପ୍ରଦର୍ଶିତ କରିବା ପାଇଁ ଏସିଆ ବୁକ୍ ଅଫ୍ ରେକର୍ଡ ପକ୍ଷରୁ ସମୟ ଅବଧି ଦିଆଯାଇଥିବା ବେଳେ ରୀତିକା ମାତ୍ର ୩୬ ସେକେଣ୍ଡରେ ୫୧ ଟି ଓଡ଼ିଶୀ ନୃତ୍ୟ ମୁଦ୍ରା ପ୍ରଦର୍ଶନ କରି ଏସିଆ ବୁକ୍ ଅଫ୍ ରେକର୍ଡର ମେଡାଲ୍ ଏବଂ ସାର୍ଟିଫିକେଟ ହାସଲ କରିଛନ୍ତି । ମାତ୍ର ୬ ବର୍ଷ ବୟସରେ ରୀତିକା ପ୍ରିୟଦର୍ଶିନୀ ଉଭୟ ଇଣ୍ଡିଆ ଓ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବାକୁ ନେଇ ରୀତିକାଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି । ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ପରେ କୁନି ଝିଅ ରୀତିକା କହିଛନ୍ତି ଏହି ସଫଳତା ତାଙ୍କୁ ବେଶ୍ ଖୁସି ଦେଇଛି । ସେ ଓଡ଼ିଶୀ ନୃତ୍ୟକୁ ବହୁତ ଭଲ ପାଆନ୍ତି ।‌ ସେହିପରି ନିଜ ସ୍କୁଲ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସେ ଅନେକ ପୁରସ୍କାର ମଧ୍ୟ ହାତେଇଛନ୍ତି । ରୀତିକାଙ୍କ ଏହି ସଫଳତା ପାଇଁ ତାଙ୍କ ବାପା, ମା ବେଶ୍ ଖୁସିଥିବା ବେଳେ ଆଗାମୀ ଦିନରେ ରୀତିକା କିଭଳି ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବରେ ରାଜ୍ୟର ଗୌରବ ଆଣିପାରିବେ ସେ ଦିଗରେ ରୀତିକାଙ୍କୁ ସମ୍ପୁର୍ଣ୍ଣ ସହଯୋଗ କରାଯିବ କହିଛନ୍ତି ।

ପୁରୀ ବାଲିସାହି ବାସିନ୍ଦା ରବିନ୍ଦ୍ର ମାଲୁ ଏବଂ ଅଙ୍କିତା ମୁଦଲୀଙ୍କ ଝିଅ ହେଉଛନ୍ତି ରୀତିକା ପ୍ରିୟଦର୍ଶିନୀ । ରୀତିକା ହରଚଣ୍ଡୀ ସାହି ସରସ୍ବତୀ ଶୁଶୁ ବିଦ୍ୟା ମନ୍ଦିରର ଦ୍ବିତୀୟ ଶ୍ରେଣୀର ଛାତ୍ରୀ । ରୀତିକା ପ୍ରିୟଦର୍ଶିନୀ ଜଣେ ମେଧାବୀ ଛାତ୍ରୀ ଭାବେ ବେଶ୍ ପରିଚିତ ଥିବାବେଳେ ମାତ୍ର ଚାରିବର୍ଷ ବୟସରୁ ସେ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ସେପଟେ ମାତ୍ର ୬ ବର୍ଷ ବୟସରେ ଓଡ଼ିଶୀ ନୃତ୍ୟର ୫୧ ଟି ମୁଦ୍ରାକୁ ମାତ୍ର ୩୬ ସେକେଣ୍ଡରେ ପ୍ରଦର୍ଶିତ କରି ପ୍ରଥମେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଆଉ ଏବେ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପୁରୀ ସହରରେ ବେଶ୍ ଚର୍ଚ୍ଚାର ବିଷୟ । ଏଥିସହ ପୁରୀର ପାରମ୍ପରିକ ପ୍ରସିଦ୍ଧ ପର୍ବ ସାହି ଯାତ ଏବଂ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ମଧ୍ୟ ରୀତିକା ବିଭିନ୍ନ ପାରମ୍ପରିକ ନୃତ୍ୟ ପରିବେଷଣ କରିଥାନ୍ତି । କୁନି ଝିଅ ରୀତିକା ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବାକୁ ନେଇ ବେଶ୍ ଗର୍ବିତ ଥିବା କହିଛନ୍ତି ରୀତିକାଙ୍କ ବାପା ଓ ଅଜା ।