ବିଶ୍ବପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ମେଳାର ଆଜି ଏକାଦଶତମ ଉତ୍ସବ
ବିଶ୍ବପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ମେଳାର ଆଜି ଏକାଦଶତମ ଦିନରେ ମହାଦେବଙ୍କୁ ତୃତୀୟ ଅର୍ଘ୍ୟ ଅର୍ପଣ କରିଛନ୍ତି ଲକ୍ଷାଧିକ ଭକ୍ତ। ଏହାସହିତ ମହାଆଡ଼ମ୍ବରରେ ସଂପନ୍ନ ହୋଇଛି ମହାଦେବ ଓ କାମିନାଙ୍କ ବିବାହ ଉତ୍ସବ।
ବୁଧବାର ସକାଳେ ନିର୍ଦ୍ଧାରିତ ନୀତିକାନ୍ତି ପରେ ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁ, ଶ୍ରୀବେକିଡ଼ି ନିରଞ୍ଜନ ଲେଙ୍କା, ଦେଉଳିଆ ଅଜିତ କୁମାର ପାତ୍ର, ମୌରସୀ ତପନ କୁମାର ପଣ୍ଡା, ଉପମୌରସୀ ବୁଦ୍ଧଦେବ ପଣ୍ଡାଙ୍କ ସହ ସମସ୍ତ ସେବାୟତ ଓ ୧୩ ଜଣ ମୁଖ୍ୟ ଉପବୀତଧାରୀ ମହାଦେବଙ୍କ ଚଳନ୍ତି ବିଗ୍ରହ ଘଟ ପୂଜାର୍ଚ୍ଚନା କରିଥିଲେ। ପରେ ସେମାନେ ଏକ ବିରାଟ ଶୋଭାଯାତ୍ରାରେ ଘଟକୁ ନେଇ ଭଟ୍ଟପୁର ଗ୍ରାମରେ ଥିବା କାମିନାଙ୍କ ବାପଘର ତଥା ମନ୍ଦିର ମାଳାକାର ଗଣେଶ ପଣ୍ଡିତଙ୍କ ଘରେ ପହଞ୍ଚିଥିଲେ।
ସେଠାରେ ପାରମ୍ପରିକ ପୂଜାରୀତି ପରେ ଶିବଙ୍କ ବିଗ୍ରହ ଘଟ ସହ କମିନାଙ୍କ ଘଟକୁ ପୋଡ଼ା ବାଉଁଶ ଦ୍ବାରା ପ୍ରସ୍ତୁତ ପାଲିଙ୍କିରେ ମନ୍ଦିର ଯାଏ ଅଣାଯାଇଥିଲା। ଏହିସମୟରେ ବାଜା, ବାଣ, ବିଭିନ୍ନ ବାଦ୍ୟଯନ୍ତ୍ର, ଶଙ୍ଖ ଓ ହର ହର ମହାଦେବ ଧ୍ବନିରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ଦାନବ, ଭୂତପ୍ରେତ ଓ କିନ୍ନର ବେଶଧାରୀ ଭକ୍ତଙ୍କ ନୃତ୍ୟ ମଧ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା।
ଉଭୟ ଘଟ ମନ୍ଦିରରେ ପହଞ୍ଚିବା ପରେ ବେଦମନ୍ତ୍ର ଉଚ୍ଚାରଣରେ ଶିବ ଓ କାମିନାଙ୍କ ରୁଦ୍ଧଦ୍ୱାର ବିବାହ ସମ୍ପନ୍ନ ହୋଇଥିଲା। ପ୍ରଭୁ ଚନ୍ଦନେଶ୍ବରଙ୍କ ଏହି ମାନବୀୟ ଲୀଳା ଦର୍ଶନ ପାଇଁ ୭୦ ହଜାରରୁ ଅଧିକ ଉପବୀତଧାରୀଙ୍କ ସହ ୩ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଆସନ୍ତାକାଲି ଠାକୁରଙ୍କ ମହାନୀଳପର୍ବ ପାଳନ ହେବ। ଏଥିପାଇଁ ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।