ପାଦରେ ଅଳତା, ଦେହରେ ନାଲି ଶାଢ଼ୀ, ହାତରେ ନାଲି ଚୁଡି ପିନ୍ଧି ଆସ୍ଥାର କଣ୍ଟା ଦୋଳିରେ ଶୋଇଛନ୍ତି ଜଣେ ମହିଳା
ଉମରକୋଟ : ପାଦରେ ଅଳତା, ଦେହରେ ନାଲି ଶାଢ଼ୀ, ହାତରେ ନାଲି ଚୁଡି ପିନ୍ଧି ଆସ୍ଥାର କଣ୍ଟା ଦୋଳିରେ ଶୋଇଛନ୍ତି ଜଣେ ମହିଳା । ହଁ ଆଜ୍ଞା ୯ ଦିନ କଣ୍ଟା ଦୋଳିରେ ଶୋଇଛନ୍ତି ଏ ମହିଳା ଭକ୍ତ । ଥରେ ଭାବନ୍ତୁ ଗୋଟେ କଣ୍ଟା ଯଦି କେବେ ଅନ୍ୟମନସ୍କରେ ବି ପାଦରେ ପଶିଯାଏ କି ଦେହରେ ବାଜିଯାଏ କେତେ କଷ୍ଟ ହୁଏ ଯନ୍ତ୍ରଣା ହୁଏ । ହେଲେ ଏଠି ଏ ମହିଳା ହଜାର ହଜାର କଣ୍ଟାର ଦୋଳିରେ ଶୋଇରହିଛନ୍ତି । ନା ତାଙ୍କୁ କଷ୍ଟ ହେଉଛି ନା ତାଙ୍କୁ ହେଉଛି କେଉଁ ଶରୀ ପୀଡା । ଆଉ ଏସବୁ କିଛି କେବଳ ମାଆଙ୍କୁ ଆରାଧନା କରି । ମାଆଙ୍କୁ ଉପାସନା କରି ବିନା କୌଣସି ଦ୍ବିଧାରେ କଣ୍ଟା ଉପରେ ଶୋଇଛନ୍ତି ଏ ମହିଳା । ପୁଣି ଖାଲି ଶୋଇନଥିଲେ ବରଂ କଣ୍ଟା ଉପରେ ଶୋଇ ପେଟରେ ଏକ ବଡ ଦୀପ ଜାଳି ୯ ଦିନ ଧରି ଉପାସ ରହିଥିଲେ।
ହଁ ଆପଣଙ୍କୁ ଏ ଦୃଶ୍ୟ ଦେଖି ଅଡୁଆ ଲାଗୁଥାଇପାରେ । ଭାବୁଥିବେ ବାସ୍ତବରେ କଣ ମହିଳା ଜଣଙ୍କ ଏମିତି ଶୋଇଛନ୍ତି ତାଙ୍କୁ କଣ କିଛି କଷ୍ଟ ହେଉନି । ଏହା ଆପଣଙ୍କୁ ବିଶ୍ବାସ ଲାଗୁ ନଥାଇପାରେ ହେଲେ ଆପଣ ଯାହା ଦେଖୁଛନ୍ତି ଏକଦମ୍ ସତ ଆଉ ବାସ୍ତବ । ଆସ୍ଥାର କଣ୍ଟାଦୋଳି । ୯ ଦିନ କଣ୍ଟାଦୋଳିରେ ଶୋଇ ମାଙ୍କ ଉପସନା କରିଲେ ମହିଳା ଭକ୍ତ । ମାଆଙ୍କ ମହିମାକୁ ନେଇ ପୋଥି ପୂରାଣରେ ବହୁ ଘଟଣା ଉଲ୍ଲେଖ ରହିଛି । ହେଲେ ଏବେର ଆଧୁନିକ ତଥା ବୈଜ୍ଞାନିକ ଯୁଗରେ ଏବେବି ଏହି ମହିମା ଦେଖିବାକୁ ମିଳୁଛି । ଜଣେ ମହିଳା ନବରାତ୍ରୀରେ ଦୀର୍ଘ ୯ ଦିନ ଧରି ମାଆଙ୍କ ସମ୍ମୁଖରେ ଏକ କଣ୍ଟା ଶଯ୍ୟାରେ ଅନବରତ ଶୋଇ ରହିବା ସହ ନିଜ ଶରୀର ଉପରେ ଦିବ୍ଯ ଜ୍ବୋତି ଜାଳି ରଖିବା ଭଳି ଘଟଣା ସାରା ଛତିଶଗଡ଼ ତଥା ଓଡ଼ିଶା ସୀମାନ୍ତ ଅଂଚଳରେ ଚହଳ ସୃଷ୍ଟି କରିଛି ।
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ ଖଲାରୀ ଠାରେ ପୂଜା ପାଉଥିବା ଆଦିଶକ୍ତି ମା କାଳୀସୁନ୍ଦରୀ ମନ୍ଦିର ପରିସରରେ ଶିଲା ଯଦୁ ନାମକ ଜଣେ ୪୫ ବର୍ଷୀୟା ମହିଳା ଭକ୍ତ ନବରାତ୍ରୀରେ ୯ ଦିନ ଧରି ଏକ ଲୁହା କଣ୍ଟା ଶଯ୍ୟାରେ ଶୋଇ ସାଧନା କରିଥିଲେ । ଉକ୍ତ କାଠ ନିର୍ମିତ ଶଯ୍ୟାରେ ପ୍ରାୟ ୪ ହଜାର ୩ ଶହ ୭୧ ଗୋଟି ଲୁହା କଣ୍ଟା ଲାଗିଥିବା ବେଳେ ଅଖିଆ ଅପିଆ ହୋଇ ସେଥିରେ ସେ ଚିତେଇ ଶୋଇ ରହିଥିଲେ । ପେଟରେ ଏକ ଦୀପ ଜାଳି ନଅ ଦିନ ଧରି ଓପାସ ରହିବା ପରେ ସେ ଶଯ୍ୟାରୁ ଉଠିଥିଲେ । ଏହି ଶଯ୍ୟାଟିକୁ ରାୟପୁରର ଜଣେ କାରିଗର ନିର୍ମାଣ କରିଥିଲେ । ନବରାତ୍ରୀ ସରିବା ପରେ ଉକ୍ତ ମହିଳା ଜଣକ ୬ ଶହ ୩୧ ଲୁହା ଶିକୁଳୀ ବିଶିଷ୍ଠ ଦୋଳିରେ ଝୁଲି ବ୍ରତ ଉଜ୍ଜାପନା କରିଥିଲେ । ମହିଳାଙ୍କ ଏଭଳି ଭକ୍ତି ଓ ନିଷ୍ଠାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା ।