ଆଦର୍ଶ ବିଦ୍ୟାଳୟକୁ ଘେରାଉ କଲେ ଅଭିଭାବକ ୬୦ ଜଣ ଏକାଦଶ ଛାତ୍ରକୁ ୨ ଅଧ୍ୟାପକ : ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
ଗଞ୍ଜାମ ବ୍ଲକ ଅନ୍ତର୍ଗତ ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଘେରାଉ କରିଛି ଅଭିଭାବକ,ସ୍ଥାନୀୟ ବାସିନ୍ଦା ଓ ପରିଚାଳନା କମିଟି ।ଏହି ଆଦର୍ଶ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଛାତ୍ରଛାତ୍ରୀ ମାନଙ୍କ ସହ ପ୍ରଶାସନ ଖେଳ ଖେଳୁ ଥିବା ଅଭିଯୋଗ ହୋଇଛି ।ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଚଳିତ ବର୍ଷ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି ।
ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ପାସଆଉଟ ହେବା ପରେ ଦ୍ଵିତୀୟ ବର୍ଷ ବୋର୍ଡ ପରୀକ୍ଷା ନିମନ୍ତେ କୌଣସି ବ୍ୟବସ୍ଥା କରାଯାଇ ନଥିବା ଓ ଯୁକ୍ତ ଦୁଇର ପ୍ରଥମ ବର୍ଷ ୬୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ଶିକ୍ଷା ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ପାଇଁ ମାତ୍ର ଦୁଇ ଶିକ୍ଷକ ନିଯୁକ୍ତି ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି ।
ଜିଲ୍ଲା ଶିକ୍ଷା ଅଧିକାରୀ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନାହିଁ। ସେଥିପାଇଁ ଶତାଧିକ ଅଭିଭାବକ,ସ୍ଥାନୀୟ ବାସିନ୍ଦା ଓ ପରିଚାଳନା କମିଟି ଏହି ବିଦ୍ୟାଳୟକୁ ଘେରାଉ କରି ପ୍ରଶାସନକୁ ଜବାବ ମାଗିଥିଲେ ।ଆଦର୍ଶ ବିଦ୍ୟାଳୟର ଚତୁଃପାଶ୍ୱର୍ରେ ଅଭିଭାବକଙ୍କ ଉତ୍ତେଜନା ଦେଖିବାକୁ ମିଳିଥିଲା ।ଶତୃଶୋଲ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ମାଧୁରୀ ମହାରଣା ଅଭିଭାବଙ୍କୁ ପ୍ରତିଶୃତି ଦେବା ପରେ ଉତ୍ତେଜନା କମିଥିଲା ।
ଉଚ୍ଚ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଜଣାଇ ତୁରନ୍ତ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧ୍ୟାପକ ନିଯୁକ୍ତି କରିବା ପାଇଁ ମାଧୁରୀ ମହାରଣା କହିଛନ୍ତି ।