ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକରେ ବୁହାହେଲା ମୃତଦେହ
ସୁବର୍ଣ୍ଣପୁର: ମିଳିଲାନି ମହାପ୍ରୟାଣ ଗାଡ଼ି । ବାଇକରେ ବୁହା ହେଲା ମୃତଦେହ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ।
ବିନିକା ସହର ପାତିକାରପଡ଼ାର ବିଦ୍ୟାଧର ନାଏକଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଚିକିତ୍ସା ପାଇଁ ତାଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହ ନେବାପାଇଁ ଡାକ୍ତରଖାନାରେ ମହାପ୍ରୟାଣ ଗାଡ଼ି ନଥିଲା । ଅର୍ଥାଭାବ ଯୋଗୁଁ ଗାଡ଼ି ଭଡ଼ା ମଧ୍ୟ କରିପାରି ନଥିଲେ ପରିବାର ଲୋକ । ଶେଷରେ ବାଧ୍ୟହୋଇ ବିନିକା ମେଡ଼ିକାଲରୁ ନିଜ ଘର ପାତିକାରପଡ଼ା ଯାଏ ବାଇକରେ ମୃତଦେହକୁ ବୋହି ନେଲେ ସମ୍ପର୍କୀୟ ।
ବିନିକା ଡାକ୍ତରଖାନାରେ ମହାପ୍ରୟାଣ ଗାଡି ନଥିବାରୁ ଅନେକ ଏହିପରି ସାଇକେଲ, ବାଇକ ଓ ଖନ୍ଦରେ ବୋହି ନେଇଥିବା ନଜିର ରହିଛି । ଏଣୁ ପ୍ରଶାସନ ତୁରନ୍ତ ବିନିକାକୁ ମହାପ୍ରୟାଣ ଗାଡ଼ି ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।