RBI ର ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା, ୧୧ ଡିସେମ୍ବରରୁ ସମ୍ଭାଳିବେ ଦାୟିତ୍ବ
RBI ର ନୂଆ ଗଭର୍ଣ୍ଣର ହେଲେ ସଞ୍ଜୟ ମଲହୋତ୍ରା । ୩ ବର୍ଷ ପାଇଁ ସଞ୍ଜୟଙ୍କୁ ଆରବିଆଇ ଗଭର୍ଣ୍ଣର ନିଯୁକ୍ତ । ଆସନ୍ତା ୧୧ ତାରିଖରୁ ସଞ୍ଜୟ ନୂଆ ଦାୟିତ୍ବ ଗ୍ରହଣ କରିବେ । ବର୍ତ୍ତମାନ ରାଜସ୍ବ ମନ୍ତ୍ରଣାଳୟର ସଚିବ ଅଛନ୍ତି ସଞ୍ଜୟ । ଶକ୍ତିକାନ୍ତ ଦାସଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ । ୧୯୯୦ ବ୍ୟାଚ୍ ରାଜସ୍ଥାନ କ୍ୟାଡରର ଆଇପିଏସ ଅଫିସର ।
ଭାରତୀୟ ରିଜର୍ଭ ବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଉଛନ୍ତି ଶକ୍ତିକାନ୍ତ ଦାସ । ଆରବିଆଇ ଗଭର୍ଣ୍ଣର ଭାବେ ଏବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଛନ୍ତି । ତାଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି । ତାଙ୍କ ସ୍ଥାନରେ ଆସନ୍ତା ୩ ବର୍ଷ ପାଇଁ ସଞ୍ଜୟ ଆରବିଆଇ ଗଭର୍ଣ୍ଣର ଭାବେ କାମ କରିବେ ।
ପ୍ରଶାସନିକ ସେବାରେ ସଞ୍ଜୟ ମଲହୋତ୍ରାଙ୍କ ଯଥେଷ୍ଟ ଅଭିଜ୍ଞତା ରହିଛି । ସେ ୩୩ ବର୍ଷ ଧରି ପ୍ରଶାସନିକ କାର୍ଯ୍ୟ କରି ଚାଲିଛନ୍ତି । ଆଇଆଇଟି କାନପୁରରୁ କମ୍ପ୍ୟୁଟର ସାଇନ୍ସରେ ଗ୍ରାଜୁଏଟ ହୋଇଥିବା ଶ୍ରୀ ମଲହୋତ୍ରା ଲୋକ ନୀତି ବିଷୟ ବସ୍ତୁରେ ମାଷ୍ଟର ଡିଗ୍ରୀ ଆମେରିକାର ପ୍ରିନ୍ସଟନ ବିଶ୍ୱ ବିଦ୍ୟାଳୟରୁ ହାସଲ କରିଛନ୍ତି । ଦେଶର ରାଜସ୍ୱ ସଚିବ ଭାବେ ନିଯୁକ୍ତି ପାଇବା ପୂର୍ବରୁ ସେ ଅର୍ଥନୀତି ସେବାର ସଚିବ ଭାବେ କାମ କରୁଥିଲେ ।
ସୂଚନାଯୋଗ୍ୟ, ବିଭିନ୍ନ ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ଥିବା ୬୪ ବର୍ଷିୟ ଶକ୍ତିକାନ୍ତ ଦାସ କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କରେ ଆର୍ଥିକ, ଟିକସ, ଶିଳ୍ପ, ଭିତ୍ତିଭୂମି ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ । ସେଣ୍ଟ୍ ଷ୍ଟିଫେନ୍ କଲେଜ୍, ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକତ୍ତୋର ଡିଗ୍ରୀ ହାସଲ କରିଛନ୍ତି ।