ପାହାନ୍ତାରେ ତାଣ୍ଡବ ରଚିବ ଦାନା, କିଛି ସମୟ ପରେ ଲ୍ଯାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ପାହାନ୍ତାରେ ତାଣ୍ଡବ ରଚିବ ଦାନା, କିଛି ସମୟ ପରେ ଲ୍ଯାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ପାହାନ୍ତାରେ ତାଣ୍ଡବ ରଚିବ ଦାନା ।  କିଛି ସମୟ ପରେ ସିଭିୟର ସାଇକ୍ଲୋନ ଦାନାର ଲ୍ଯାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ । ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁ ଛାରଖାର କରିବ ଦାନା ।  ବାତ୍ୟା ପ୍ରଭାବରେ ମଧ୍ୟାହ୍ନରୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ତୁହାକୁତୁହା ବର୍ଷା ସହ ବଢୁଛି ପବନର ବେଗ । ଉତ୍ତର ପଶ୍ଚିମବଙ୍ଗୋପସାଗର ଉପରେ ସକ୍ରିୟ ରହିଛି ଭୀଷଣ ବାତ୍ୟା ।

ଏହା କ୍ରମଶଃ ଉତ୍ତର- ଉତ୍ତର ପଶ୍ଚିମ ଦିଗରେ ଗତ ୬ ଘଣ୍ଟା ଧରି ୧୦ କିମି ବେଗରେ ଆଗକୁ ବଢୁଛି । ପାରାଦୀପ ଠାରୁ ଉତ୍ତରପୂର୍ବରେ ୧୫୦ କିମି ଦୂରରେ, ଧାମରା ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୧୮୦ କିମି ଦୂରରେ ଓ ସାଗରଦ୍ବୀପର ଦକ୍ଷିଣରେ ୨୫୦ କିମି ଦୂରରେ ରହିଛି ଦାନା ।  ଏହା ଉତ୍ତର- ଉତ୍ତର ପଶ୍ଚିମ ଦିଗରେ ଗତି କରି ମଧ୍ଯରାତି ଓ କାଲି ସକାଳ ମଧ୍ୟରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବ  ।

ଭୀଷଣ ବାତ୍ୟା ଭାବେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ  । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଶହେରୁ ୧୧୦ କିମି ରହିପାରେ  । ଗଷ୍ଟିଂ ସ୍ପିଡ ୧୨୦କିମିକୁ ବୃଦ୍ଧି ହୋଇପାରେ । ବାତ୍ୟା ପ୍ରଭାବରେ ବଢୁଛି ବର୍ଷାର ପରିମାଣ ।  ଅତିଭୀଷଣ ବର୍ଷା ପାଇଁ ୭ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ଯାଜପୁର, ବାଲେଶ୍ବର ଓ ମୟୂରଭଞ୍ଜକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ଼ ଓ ଢେଙ୍କାନାଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲା ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ବଢିବ ବର୍ଷାର ପରିମାଣ । ଅତିଭୀଷଣ ବର୍ଷା ପାଇଁ ଯାଜପୁର, ଭଦ୍ରକ, ପୁରୀ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଅନୁଗୁଳକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।